ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ସୁପର ସଣ୍ଡେରେ ହେବ ସୁପର ଫାଇଟ, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ।
ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ହାଇଭୋଲଟେଜ୍ ଲଢ଼େଇ । ସୁପର ସଣ୍ଡେରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା। ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଏହି ମ୍ୟାଚ୍ର ଫଳାଫଳ ଯାହା ହେଉନା କାହିଁକି ଅଂଶଗ୍ରହଣକାରୀ ଦୁଇ ଦଳ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଏହି ମ୍ୟାଚ୍କୁ ନେଇ ଅନେକ ଆଶା ଓ ଉତ୍କଣ୍ଠା ରହିଥାଏ। କିନ୍ତୁ ଆଇସିସି ଇଭେଣ୍ଟରେ ଏହି ମୁକାବିଲା ରୋମାଞ୍ଚକ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବା ପରିବର୍ତ୍ତେ ଏକତରଫା ହେବାର ଏକାଧିକ ନଜିର ରହିଛି। ଏହା ସତ୍ତ୍ବେ ଏହି ମୁକାବିଲା ଜିତି ଭାରତ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲକୁ ଯିବାର ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍ରେ ହାରିଥିବା ପାକିସ୍ତାନ ଏହି ମୁକାବିଲାକୁ ଜିତି ପ୍ରତିଯୋଗିିତାରେ ତିଷ୍ଠି ରହିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରିବ ବୋଲି ନିଶ୍ଚିତ ଆଶା ରଖିଛି। ଏଭଳି ସ୍ଥିତିରେ ମ୍ୟାଚ୍ଟି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରିବା ସ୍ୱାଭାବିକ୍। କିନ୍ତୁ ବର୍ତ୍ତମାନ ଫର୍ମ, ରେକର୍ଡ ଓ ସଫଳତାକୁ ବିଚାରକୁ ନେଲେ ମ୍ୟାଚ୍ଟି ଏକତରଫା ହେଲେ ଆଦୌ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚ୍ ଲାଗି ଖେଳାଳି, କର୍ମକର୍ତ୍ତା, ଆୟୋଜକ, ପ୍ରାୟୋଜକ ଓ ସମର୍ଥକଙ୍କ ମନରେ ଢେ଼ର ଉତ୍କଣ୍ଠା। ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ କୁଟନୈତିକ ଉତ୍ତେଜନାର ପରିପ୍ରକାଶ ହୋଇଥାଏ ଏହି ମୁକାବିଲା। ଏଥିଲାଗି ଉଭୟ ଦଳ ଯେପରି ଦକ୍ଷତାର ବିନିଯୋଗ କରିଥାନ୍ତି, ଠିକ୍ ସେହିପରି ଚାପକୁ ମୁକାବିଲା କରିଥାନ୍ତି। ଦକ୍ଷତା ପ୍ରଦର୍ଶନ ସହ ଯେଉଁ ଦଳ ଚାପକୁ ଭଲରେ ଗ୍ରହଣ କରିବାରେ ସମର୍ଥ ହୋଇଥାନ୍ତି, ସେହି ଦଳ ମୁକାବିଲାରେ ବିଜୟୀ ହୋଇଥାନ୍ତି। ସବୁ ଦୃଷ୍ଟିରୁ ଦେଖିଲେ ଭାରତ ଏବେ ପାକିସ୍ତାନଠାରୁ ବହୁ ଉପରେ ରହିଛି। ଫର୍ମ ହେଉ ଅବା ପରିବେଶ, ଖେଳ ହେଉ ଅବା ଚାପର ମୁକାବିଲାରେ ଭାରତ ନିଶ୍ଚିତଭାବେ ତାହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଠାରୁ ବହୁ ଆଗରେ। ଏହାର ଅର୍ଥ ନୁହେଁ ଯେ ପାକିସ୍ତାନ ଯେତେ ଭଲ ଖେଳିଲେ ମଧ୍ୟ ଏହି ମ୍ୟାଚ୍ ଜିତିପାରିବ ନାହିଁ। ପାକିସ୍ତାନ ନିକଟରେ ଭାରତ ଭଳି ବିଶ୍ୱବିଜେତା ରହିଛନ୍ତି। ବୋଲିଂରେ ଗୋଟିଏ ସ୍ପେଲ୍ କିମ୍ବା ଗୋଟିଏ ବଡ଼ ପାର୍ଟନରସିପ୍ ଏହି ମ୍ୟାଚ୍ର ଭାଗ୍ୟ ନିର୍ଦ୍ଧାରଣ କରିଥାଏ।
ଘରୋଇ ମାଟିରେ ଇଂଲଣ୍ଡକୁ ୩-୦ରେ ହରାଇବା ଓ ଏଠାରେ କଡ଼ା ପ୍ରତିରୋଧ ସତ୍ତ୍ବେ ବାଂଲାଦେଶକୁ ସହଜରେ ପରାସ୍ତ କରିବା ପରେ ଭାରତର ମନୋବଳ ବୃଦ୍ଧି ପାଇଛି। ଦଳର ସମୀକରଣ ଠିକ ହୋଇଯାଇଛି ଓ ପ୍ରମୁଖ ଖେଳାଳି ଫର୍ମକୁ ଫେରିଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲା ତାହା ବାଂଲା ବିପକ୍ଷ ମ୍ୟାଚ୍ରେ ୪୧ ରନ୍ ସଂଗ୍ରହ କରିବା ପରେ ସେହି ସନ୍ଦେହ ଦୂରୀଭୂତ ହୋଇଛି। ଶୁବମନ ଗିଲଙ୍କ ଶତକ ବଳରେ ଭାରତ ବାଂଲା ମୁକାବିଲାକୁ ୪ ୱିକେଟରେ ଜିତିନେଇଥିଲା। ଏହି ମ୍ୟାଚ୍ରେ ଫର୍ମକୁ ଫେରିଥିଲେ ମହମ୍ମଦ୍ ସାମି। ସେ ୫ଟି ୱିକେଟ ନେବା ଯେତିକି ଗୁରୁତ୍ୱପୂର୍ଣ୍ଣ ନ ଥିଲା, ପୂରା ରିଦିମ୍ରେ ବୋଲିଂ କରି ସେ ପୂରା ଫିଟ୍ ବୋଲି ଦର୍ଶାଇଥିଲେ। ଏଣୁ ନବାଗତ ହର୍ଷିତ ରାଣାଙ୍କ ସହ ମିଶି ସେମାନେ ପେସ୍ ବୋଲିଂ ସମ୍ଭାଳିବେ ବୋଲି ଏହି ମ୍ୟାଚ୍ରୁ ସ୍ପଷ୍ଟ ହୋଇଛି।
ଅନ୍ୟପକ୍ଷରେ ମହମ୍ମଦ୍ ରିଜୱାନଙ୍କ ନେତୃତ୍ୱରେ ଗଠିତ ପାକିସ୍ତାନ ଦଳ ନିକଟରେ ଫର୍ମ କି ଆତ୍ମବିଶ୍ୱାସ ଥିଲାଭଳି ମନେହେଉନାହିଁ। ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ନିକଟରୁ ଦୁଇଥର ହାରିବା ପରେ ଦଳର ଦକ୍ଷତା ଓ ବଡ଼ ମ୍ୟାଚ୍ ଖେଳିବା ନେଇ ପ୍ରଶ୍ନ ଉଠିଛି। ବିଶେଷ କରି ନ୍ୟୁଜିଲାଣ୍ଡ ବିପକ୍ଷରେ ୩୨୦ ରନ୍ର ଲକ୍ଷ୍ୟକୁ ପିଛା କରି ଦଳର ବ୍ୟାଟରମାନେ ଯେପରି ପ୍ରଦର୍ଶନ କଲେ, ତାହା ପର୍ଯ୍ୟାପ୍ତ ନ ଥିଲା। ଯାହା ଫଳରେ ଦଳ ୬୦ ରନ୍ରେ ପରାଜିତ ହୋଇଥିଲା। ଗୋଟିଏ ପଟେ ଫର୍ମ ଓ ଆତ୍ମବିଶ୍ୱାସର ଅଭାବ, ଭାରତ ଭଳି ପ୍ରତିଦ୍ୱନ୍ଦ୍ୱୀ ଓ ପ୍ରତିଯୋଗିତାରେ ତିଷ୍ଠି ରହିବାର ଆଶଙ୍କା ମଧ୍ୟରେ ପାକିସ୍ତାନ ଏହି ମ୍ୟାଚ୍ ଖେଳିବ। ଏଭଳି ସ୍ଥିତିରେ ପାକିସ୍ତାନ ପକ୍ଷରୁ କେହି ଜଣେ ବୀରତ୍ୱପୂର୍ଣ୍ଣ ଖେଳ ପ୍ରଦର୍ଶନ କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଭାରତ ବିପକ୍ଷରେ ମ୍ୟାଚ୍ ଜିତାଇବା ଅର୍ଥ ପାକିସ୍ତାନରେ ସବୁଦିନେ ଜଣେ ହିରୋର ମାନ୍ୟତା ପାଇବା। ଏହି ସୁଯୋଗକୁ କେହି ହାତଛଡ଼ା କରିବାକୁ ଚାହିଁବେ ନାହିଁ।
ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଉଭୟ ବୋଲର ଓ ବ୍ୟାଟର ସମାନ ପରିମାଣରେ ସହାୟତା ପାଇଥାନ୍ତି। ଏଣୁ ଯେଉଁ ଦଳ ସେମାନଙ୍କ ଖେଳରେ ଶୃଙ୍ଖଳା ପ୍ରଦର୍ଶନ କରିବେ ସେହିଦଳ ଏଠାରେ ଭଲ ଖେଳିବ। କିନ୍ତୁ ବୋଲିଂରେ ପେସରଙ୍କ ଅପେକ୍ଷା ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।
ଏଠିକାର ପିଚ୍ ସର୍ବଦା ସ୍ପିନରଙ୍କୁ ସୁହାଇଥାଏ। ଏଥିରୁ ଫାଇଦା ଉଠାଇବା ଲାଗି କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ପ୍ରସ୍ତୁତ ଅଛନ୍ତି। ସେହିପରି ଭାରତୀୟଙ୍କୁ ରାସ୍ତାରୁ ହଟାଇବାକୁ ଆବ୍ରାର ଅହମ୍ମଦ୍ ଯୋଜନା କରିଛନ୍ତି। କମରାନ ଗୁଲାମ, ସଲମାନ ଅଲି ଆଘା ଓ ସାଉଦ୍ ସକିଲ କିଛି ସହାୟତା କରିପାରନ୍ତି। ପାକିସ୍ତାନ ସାହିନ୍ ଶାହ ଆଫ୍ରୀଦୀ, ନସୀମ ଶାହ, ଫହୀମ ଅଶ୍ରଫ, ହାରିସ ରୌଫ୍ଙ୍କ ଫାଷ୍ଟ ବୋଲିଂ ଉପରେ ନିର୍ଭର କରୁଛି। ନସୀମ ଶାହ ଭଲ ଫର୍ମରେ ଥିଲାବେଳେ ଆଫ୍ରିଦୀ ଭାରତ ବିପକ୍ଷ ମ୍ୟାଚ୍ରୁ ଫର୍ମକୁ ଫେରିବେ ବୋଲି ଆଶା ରଖିଛନ୍ତି। #news #odiaxpress #cricket #iccchampionstrophy2025